ଦାମନଯୋଡି,୧୭/୧୧:-କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଅର୍ଥାତ ଦୀପାବଳୀ ଅମାବାସ୍ୟା ଚତୁର୍ଥ ଦିନରେ ଶୁକ୍ରବାର ଦାମନଯୋଡିରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ନାଗ ଚତୁର୍ଥୀ ପାଳିତ ହୋଇଯାଇଛି।ମହିଳାମାନେ ଉପବାସ ତଥା ବ୍ରତ ପାଳନ କରି ପ୍ରାତଃରୁ ବିଭିନ୍ନ ଉଈହୁଙ୍କାକୁ ଯାଇ ନାଗ ଦେବତାଙ୍କୁ ପରିବାରର ମଙ୍ଗଳ କାମନା ପାଇଁ ପୂଜାର୍ଚ୍ଚନା କରିଥିଲେ।ମହିଳାମାନେ କ୍ଷୀର,ଅଣ୍ଡା,କଞ୍ଚା ରାଶି ଓ ଗୁଡ଼ରେ ତିଆରି ଭୋଗ,ଚାଉଳ ଚୂନା,ଘିଅ,ଚିନି,କଞ୍ଚା କ୍ଷୀରରେ ତିଆରି ଅନ୍ୟ ଏକ ଭୋଗ 'ଚାଲିମୁଡ଼ି',କଦଳୀ, ଆଦି ଭୋଗ ଲଗାଇ ଏବଂ ଫୁଲ,ଧୂପ,ଦୀପ,ଚନ୍ଦନ ଇତ୍ୟାଦି ସହିତ ଉଈ ହୁଙ୍କାର ନାଗ ଦେବତାଙ୍କୁ ପୂଜା କରିଥିଲେ।ଏଥି ସହିତ ମାନସିକ ପୂରଣ କରିଥିବା ପରିବାର ପକ୍ଷରୁ ନିଜ ସମ୍ବଳ ଅନୁଯାୟୀ ତମ୍ବା, ରୂପା କିମ୍ବା ସୁନା ତିଆରି ନାଗ ମଧ୍ଯ ସମର୍ପଣ କରାଯାଇଥାଏ ବୋଲି ଶ୍ରଦ୍ଧାଳୁ ରବି ପଟ୍ଟନାୟକ ଓ ତାଙ୍କ ପତ୍ନୀ ମାଧବୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।ତେଲୁଗୁ ସମ୍ପ୍ରଦାୟର ମହିଳା,ପୁରୁଷଙ୍କ ସହିତ ଅନ୍ୟ ଶ୍ରଦ୍ଧାଳୁ ମାନେ ମଧ୍ୟ ଏହି ପୂଜା ପାଳନ କରିଥିଲେ।