ଜାତୀୟ ବିତ୍ତୀୟ ଶିକ୍ଷା କେନ୍ଦ୍ର ( NCFE )ପକ୍ଷରୁ ବିଶ୍ଵ ସଞ୍ଚୟ ଦିବସ ଉପଲକ୍ଷେ ଚଉଦ ଦିନିଆ "ସୁରକ୍ଷିତ ସଞ୍ଚୟ ଓ ସାଇବର ଠକାମୀ" ଉପରେ ସଚେତନତା ପକ୍ଷ ପାଳନ ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ଦ୍ଵାରା ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାସ୍କର ନାଥ ବିଶ୍ଵାଳ ଯୋଗ ଦେଇ ସାଂପ୍ରତିକ ସମାଜରେ ସାଇବର ଠକାମୀ ସଂପର୍କରେ ପିଲାମାନଙ୍କୁ ଅବଗତ କରାଇ ନିଜର ସଞ୍ଚୟ ଅର୍ଥ ରାଶି ସୁରକ୍ଷିତ ରଖିବା ପାଇଁ ଆହ୍ବାନ କରିଥିଲେ । ଜିଲ୍ଲା ଯୁବ ରେଡ୍ କ୍ରସ ସମ୍ପାଦକ ତଥା NCFE ର ସମ୍ବଳ ପ୍ରଶିକ୍ଷକ ଓ ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ହୋତା ବିଷୟ ବିଶାରଦ ଭାବରେ ଯୋଗ ଦେଇ ଅର୍ଥ ସଞ୍ଚୟ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଛାତ୍ର ଛାତ୍ରୀ ଙ୍କୁ ଜଣାଇବା ସହ ନିବେଶ, ବୀମା ଯୋଜନା, ଡିଜିଟାଲ ଅର୍ଥର ବ୍ୟବହାର, ଅଯଥା କ୍ରୟ ତଥା ସାଇବର ଠକେଇର ବିଭିନ୍ନ ଦିଗ ଉପରେ ବୃତ୍ତ ଚିତ୍ର ମାଧ୍ୟମରେ ଆଲୋକପାତ କରିଥିଲେ । ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ ଓ ଅଧ୍ୟାପକ ପ୍ରିୟବ୍ରତ ସାହୁ ଏଥିରେ ସହଯୋଗ କରିଥିଲେ । ଏଠାରେ ପ୍ରକାଶ ଉପଯୋଗୀ ଯେ ଦୀର୍ଘ ଦୁଇବର୍ଷ ଧରି ଜାତୀୟ ବିତ୍ତୀୟ ସଂସ୍ଥା ( National Center for Financial Education -NCFE) ନବରଙ୍ଗପୁର ଜିଲ୍ଲା ରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଲୋକଙ୍କୁ ଆର୍ଥିକ ସ୍ଵାଧୀନତା ହାସଲ କରିବାରେ ସହଯୋଗ କରିଆସୁଛି।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର