Tuesday, August 23, 2022
Homeମାଲ୍ୟବନ୍ତ ମହୋତ୍ସବ-୨୦୨୩ ପ୍ରସ୍ତୁତି ବୈଠକ

ମାଲ୍ୟବନ୍ତ ମହୋତ୍ସବ-୨୦୨୩ ପ୍ରସ୍ତୁତି ବୈଠକ

ମାଲକାନଗିରି ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ  ମାଲ୍ୟବନ୍ତ ମହୋତ୍ସବ-୨୦୨୩ ଆୟୋଜନ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସମାରୀ ତାଙ୍ଗୁଲ, ଉପାଧ୍ୟକ୍ଷ, ପତିତ ପାବନ ବୈଦ୍ୟ, ଚିତ୍ରକୋଣ୍ଡା ବିଧାୟକ, ପୂର୍ଣ୍ଣ ଚନ୍ଦ୍ର ବାକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ନୀତେଶ ୱାଧୱାନୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରତ୍ନାକର ସାହୁ ଓ ଉପ ଜିଲ୍ଲାପାଳ,  ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ମଞ୍ଚାସୀନ ଥିଲେ। 

ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳା ଏବଂ ସୁନ୍ଦର ଭାବେ ହେବ ସେନେଇ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ।  ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯେଉଁଭଳି ଭାବେ କିଛି ଅଘଟଣ ନ ଘଟିବ ସେଥି ନିମନ୍ତେ ମଧ୍ୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଚଳିତ ବର୍ଷ   ସ୍ଥାନୀୟ କ୍ରୀଡା ଷ୍ଟାଡିୟମ ପରିସରରେ ଡ଼ିସେମ୍ବର ୧୫, ୧୬ ଓ ୧୭ ରେ ମୁଖ୍ୟ ମାଲ୍ୟବନ୍ତ ମହୋତ୍ସବ ଓ ୧୮, ୧୯ ଡ଼ିସେମ୍ବରରେ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ମାଲକାନଗିରି ଯଦୁଗୁଡା ସ୍ଥିତ ଶୈବ ପୀଠରୁ ନଭେମ୍ବର ୨୮ ରେ ଜିଲ୍ଳାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଉଦ୍ଘାଟନ ହେବ । ଡ଼ିସେମ୍ବର ୧ ରେ ବ୍ଲକ ସ୍ତରୀୟ ମହୋତ୍ସବ ପାଳନ ହେବ । ସେହିପରି ଜିଲ୍ଲାରେ ବସବାସ କରୁଥିବା ୧୪ ଟି ଜନଜାତିଙ୍କ ପାରମ୍ପରିକ ଲୋକ କଳାକୁ ନେଇ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଗତ ବର୍ଷ ଭଳି ବାହାର ରାଜ୍ୟ ଏବଂ ବିଭିନ୍ନ ଜିଲ୍ଲାର ପ୍ରଖ୍ୟାତ ଲୋକ କଳା ଦଳଙ୍କୁ ଆମନ୍ତ୍ରଣ କରାଯିବ। ତା ସହିତ ପଲ୍ଲୀଶ୍ରୀ ମେଳା, ମାରାଥନ୍, ଫୁଟବଲ, ଭଲିବଲ୍ ଓ ଚିତ୍ରକୋଣ୍ଡାରେ ଘୋଡା ଦୌଡ ପ୍ରତିଯୋଗୀତା ଆୟୋଜନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ସେହିପରି ବିଗତ ବର୍ଷ ଭଳି ବିଭିନ୍ନ କମିଟିକୁ ଅନୁରୂପ ଭାବେ ଦାୟିତ୍ଵ ନିର୍ବାହ କରିବା ପାଇଁ କୁହାଯାଇଛି। ଉପ ଜିଲ୍ଲାପାଳ ଡଃ ଖେମୁଣ୍ଡୁ ପୂର୍ବ ବର୍ଷର ବିବରଣୀ ଉପସ୍ଥାପନ କରି ସମସ୍ତ ସଦସ୍ୟଙ୍କୁ ମହୋତ୍ସବ ପ୍ରସ୍ତୁତି ନିମନ୍ତେ ଅବଗତ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ଅଧିକାରୀ, ଜନ ପ୍ରତିନିଧି, ବରିଷ୍ଠ ନାଗରିକ, ବୁଦ୍ଧିଜୀବି ଏବଂ କମିଟି ସଦସ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମିଳା ମାଝୀ ଏହି ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!