Tuesday, August 23, 2022
Homeଜିଲ୍ଲା ପ୍ରଶାସନ ଦ୍ବାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ଜିଲ୍ଲା ପ୍ରଶାସନ ଦ୍ବାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ମାଲକାନଗିରି,30/10                      
ପ୍ରତିବର୍ଷ ଭଳି ଚଳିତବର୍ଷ ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ଗୃହରେ ଓଡ଼ିଶା ରାଜ୍ୟ  ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲ୍ଲା ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଫୁଲ୍ଲ ନନ୍ଦ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଚିନ ପଟେଲ, ସହକାରୀ ଅଗ୍ନିଶମ ଅଧିକାରୀ କମଳ ଲୋଚନ ଗୌଡ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ ଭୁଜବଳ ଉପସ୍ଥିତ ଥିଲେ।  ଏହି ଅବସରରେ  ଗୋଷ୍ଠୀ ସଶକ୍ତିକରଣ,ଗୋଷ୍ଠୀର ଆବଶ୍ୟକତା ଓ ଅସୁବିଧା ବିଷୟରେ ଆଲୋଚନା,ଗୋଷ୍ଠୀର ଉନ୍ନତି ଉପରେ ସରକାରଙ୍କ ହସ୍ତକ୍ଷେପ ରହିବା ଓ ଯୋଜନା ପ୍ରସ୍ତୁତି ଏବଂଗୋଷ୍ଠୀ ନିଜକୁ ସୁରକ୍ଷା ଦେବା ସହିତ ପରିବେଶ ସୁରକ୍ଷା ବିଷୟରେ ମନୋନିବେଶ କରିବା ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଜିଲ୍ଲା ସ୍ତରୀୟ, ସମସ୍ତ ପଞ୍ଚାୟତ ସମିତି ଓ ସଦର ମହକୁମା( ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ) ରେ ପାଳନ    କରାଯାଇଛି। ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ  ଅବସରରେ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି  । ଓଡ଼ିଶା ରାଜ୍ୟ  ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଉପଲକ୍ଷେ  ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ଅଭିଭାଷଣ  ପ୍ରତିଯୋଗିତା ଆୟୋଜନ  କରାଯାଇଥିଲା। ଚିତ୍ରାଙ୍କନ ଓ ଅଭିଭାଷଣ  ପ୍ରତିଯୋଗିତା  “ପୁନଃସକ୍ଷମଶୀଳ  ଓଡ଼ିଶା ପାଇଁ ଗୋଷ୍ଠୀ ସଶକ୍ତିକରଣ” ଉପରେ ଆଧାରିତ ଥିଲା। ସଚେତନତା ବାର୍ତ୍ତା ପ୍ରସାରଣ ବିଷୟରେ ସର୍ବସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ଶୋଭାଯାତ୍ରା  ଜିଲ୍ଲାସ୍ତରରେ, ବ୍ଲକସ୍ତରରେ  ଓ ଦୁଇଟି ସହରାଞ୍ଚଳରେ ୨୯ ଅକ୍ଟୋବରରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସ୍ତରରେ  ଆପଦ ମିତ୍ର ସ୍ଵେଚ୍ଛାସେବୀମାନେ ଏହି ସଚେତନତା ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ଏହି  ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଜିଲ୍ଲାପରିଷଦ ପରିସର ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ପାଇଁ ଭିନ୍ନ ଭିନ୍ନ ସ୍ଲୋଗାନରେ ଗୁଞ୍ଜରିତ ହୋଇଥିଲା। ସଚେତନତା ଶୋଭାଯାତ୍ରା ପରେ ପରେ ଆପଦ ମିତ୍ର ସ୍ଵେଚ୍ଛାସେବୀମାନେ ଜିଲ୍ଲାପରିଷଦ ପରିସରରେ ନିଜ ନିଜର ସାମର୍ଥ୍ୟ ଓ କୌଶଳ ଅବଲମ୍ବନ କରି କେମିତି ଜନ ଜୀବନ ଉଦ୍ଧାର କରାଯାଇପାରିବ ସେ ବିଷୟରେ ମାଲକାନଗିରି ଅଗ୍ନିଶମ ବାହିନୀଙ୍କ ସହିତ ମିଶି ପ୍ରଦର୍ଶନ କରିଥିଲେ। ଆଲୋଚନା ପରେ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ ଓ ଅଭିଭାଷଣ  କୃତି  ପ୍ରତିଯୋଗିମାନଙ୍କୁ ମାନପତ୍ର ସହ  ଟ୍ରଫି  ଦେଇ ପୁରସ୍କୃତ କରଯାଇଥିଲା । ପରିଶେଷରେ ଜିଲ୍ଲା ଆପଦକାଳୀନ ଅଧିକାରୀ ଉମା ପ୍ରସାଦ ଦାଶ “ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା” ସ୍ଲୋଗାନ ଦେବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!