Tuesday, August 23, 2022
Homeରାଜନୈତିକ ଦଳଙ୍କୁ ଦିଆଗଲା ଇଣ୍ଟେଗ୍ରେଟେଡ ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ-୨୦୨୪

ରାଜନୈତିକ ଦଳଙ୍କୁ ଦିଆଗଲା ଇଣ୍ଟେଗ୍ରେଟେଡ ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ-୨୦୨୪

ମାଲକାନଗିରି, 28/10
ଜିଲ୍ଲାରେ ଚାଲିଥିବା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ ଅଧୀନରେ  ପ୍ରାପ୍ତ ହୋଇଥିବା ଦାବି ଓ ଆପତ୍ତି କିମ୍ବା ଅଭିଯୋଗ ତଥ୍ୟକୁ ବିଭିନ୍ନ ରାଜନୈତିକ ଦଳକୁ ପ୍ରଦାନ କରାଯାଇଛି। ଆଗାମୀ ୨୦୨୪ରେ ଉଭୟ ଲୋକସଭା ଓ ବିଧାନସଭା ନିମନ୍ତେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଶାଲ ସିଂ ଯୋଗ ଦେଇ ଉପସ୍ଥିତ ସମସ୍ତ ରାଜନୈତିକ ଦଳ ଏବଂ ଜନସାଧାରଣ ଙ୍କୁ ଆହ୍ବାନ କରିଛନ୍ତି। ସେ ଆହୁରି ମଧ୍ଯ ସୂଚନା ଦେଇଛନ୍ତି ଯେ  ନଭେମ୍ବର ୫, ୧୧, ୧୯ ଓ ୨୫ ରେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯିବ ଏବଂ ଅଧିକରୁ ଅଧିକ ଭୋଟରଙ୍କୁ ପଞ୍ଜୀକରଣ ନିମନ୍ତେ ସଚେତନ କରାଯିବ। ସେହିପରି ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଏହି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରି କହିଛନ୍ତି ଯେ ଜିଲ୍ଲାରେ ମହିଳା ଭୋଟରଙ୍କ ଅନୁପାତ ବୃଦ୍ଧି ପାଇଛି ଯାହା ଗଣତନ୍ତ୍ର ପାଇଁ ଏକ ଶୁଭଙ୍କର ସୂଚନା। ଜିଲ୍ଲାର ସମ୍ବେଦନଶୀଳ ଆଦିମ ଜନଜାତି, କିନ୍ନର, ଦେହଜୀବୀ ଏବଂ ଅନ୍ୟାନ୍ୟ ଶ୍ରେଣୀର ନାଗରିକଙ୍କୁ ପଞ୍ଜୀକରଣ ନିମନ୍ତେ ସଚେତନ କରି ଉକ୍ତ ଭୋଟରଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ବୋଲି ଡଃ ଖେମୁଣ୍ଡୁ ସୂଚନା ଦେଇଛନ୍ତି। 
  ସୂଚନା ଥାଉ କି ଜିଲ୍ଲାରେ ବର୍ତ୍ତମାନ ୪ ଲକ୍ଷ ୪୫ ହଜାର ୪୩ ଜଣ ଭୋଟର ରହିଛନ୍ତି । ଅକ୍ଟୋବର ୨୭ରୁ ଡ଼ିସେମ୍ବର ୯ ପର୍ଯ୍ୟନ୍ତ  ରାଜନୈତିକ ଦଳମାନେ ସମସ୍ତ ଦାବି ଓ ଅଭିଯୋଗ ଦାଖଲ କରି ପାରିବେ। ୫ ଜାନୁଆରୀ ୨୦୨୪ରେ ଇଲେକ୍ଟରାଲ ରୋଲ ପ୍ରକାଶନ କରାଯିବ ବୋଲି ଆଜି ଏଠାରେ ସୂଚନା ଦିଆଯାଇଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୪୨ ହଜାର ୧୨୩ ଜଣ ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨ ହଜାର ୯୨୦ ଜଣ ଭୋଟର ରହିଛନ୍ତି।  ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୨୩ ହଜାର ୧୯୩ ମହିଳା ଭୋଟର ଥିବା ବେଳେ ୧ ଲକ୍ଷ ୧୮ ହଜାର ୮୯୭ ପୁରୁଷ ଭୋଟର ଅଛନ୍ତି। ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୫ ହଜାର ୮୯୮ ମହିଳା ଭୋଟର ଥିବା ବେଳେ ୯୭ ହଜାର ୯ ଜଣ ପୁରୁଷ ଭୋଟର ଅଛନ୍ତି। 
 ରାଜନୈତିକ ଦଳ ମଧ୍ୟରେ ବିଜେପି ପକ୍ଷରୁ ସଞ୍ଜୟ ପ୍ରଧାନ, ବିଜେଡି ପକ୍ଷରୁ ଧନୁର୍ଜୟ ମାଡ଼କାମୀ, ସିପିଆଇ (ଏମ୍) ପକ୍ଷରୁ ବ୍ରଜ ମାଝୀ, ବିଏସପି ପକ୍ଷରୁ  ଜାରାଶବର ମାଢୀ ଏବଂ ଆପ୍ ପକ୍ଷରୁ କେ ଦେଶୀ ରାଜୁ ଆଚାରୀ ଉପସ୍ଥିତ ଥିଲେ। ସେହିପରି କାର୍ଯ୍ୟକ୍ରମରେ ସହାୟକ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗି, ଅଶୋକ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ନିର୍ବାଚନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!