ଦାମନଯୋଡି,୦୧/୧୦:- ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ବାର୍ତ୍ତା “ସ୍ୱଚ୍ଛତା ହିଁ ସେବା” ଆଧାରରେ, ତାଙ୍କର ଜନ୍ମତିଥିର ଅବ୍ୟବହିତ ପୂର୍ବରୁ ଏବଂ ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନବରତ୍ନ କମ୍ପାନୀ ନାଲକୋ ସମଗ୍ର ଦେଶ ସହ ରବିବାର ଏକ ବିଶାଳ ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଥିଲା।ନାଲକୋର ଖଣି ଓ ପରିଶୋଧନ ପ୍ରକଳ୍ପ ପକ୍ଷରୁ ଭେଜାପୁଟ ବଜାରରେ ବ୍ୟାପକ ସଫେଇ କାର୍ଯ୍ୟ କରା ଯାଇଥିଲା।ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରୁ ନାଲକୋ ଟାଉନସିପ ମୂଖ୍ୟ ଫାଟକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଓ ରୋଡ଼ ଡିଭାଇଡର ମଝିରେ ଦୀର୍ଘଦିନ ଧରି ପଡ଼ି ରହିଥିବା ଆବର୍ଜନା ସବୁକୁ ସଫା କରି ଟ୍ରାକ୍ଟର ଓ ଅନ୍ୟ ସଫେଇ ଗାଡ଼ିରେ ନିଆଯାଇଥିଲା।ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ନାଲକୋ ପକ୍ଷରୁ ସଚେତନତା ନାଟକ କରାଯାଇଥିଲା।ନାଲକୋର ଭୁବନେଶ୍ଵର କର୍ପୋରେଟ କାର୍ଯ୍ୟାଳୟରୁ ଆସିଥିବା ବିତ୍ତ ବିଭାଗ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଯୋଶୀ ସମସ୍ତଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ।କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶୀଲ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ବିଧାୟକ ପୀତମ୍ ପାଢ଼ୀ ଯୋଗ ଦେଇଥିଲେ।ସମୂହ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ରଙ୍କ ସମେତ ଅନ୍ୟ ସମୂହ ମହାପ୍ରବନ୍ଧକ,ବରିଷ୍ଠ ଅଧିକାରୀ, ମହାପ୍ରବନ୍ଧକ ସରୋଜ କୁମାର ନାଥ ଓ ବିନୟ କୁମାର ଠାକୁର, ସିଆଇଏସ୍ଏଫ୍ କମାଣ୍ଡାଣ୍ଟ ସତୀଶ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।ନାଲକୋ କର୍ମଚାରୀ,ବିଭିନ୍ନ ୟୁନିୟନ୍ ଓ ଆସୋସିଏସନ କର୍ମକର୍ତ୍ତା,ସିଆଇଏସ୍ଏଫ୍ ଯବାନ,ଘରୋଇ ଇଏସଏସ ସୁରକ୍ଷା କର୍ମୀ,ଭେଜାପୁଟ ବଣିକ ସଂଘ,ନାଲକୋ ଠିକା କର୍ମଚାରୀ,ଜନସାଧାରଣ,ସ୍ବେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ସ୍ୱଚ୍ଛତା ସହିତ ଦାମନଯୋଡିକୁ ପ୍ଲାଷ୍ଟିକମୁକ୍ତ କରିବାପାଇଁ ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟାମନ୍ଦିର,ଦିଲ୍ଲୀ ପବ୍ଲିକ ସ୍କୁଲ ସହିତ ଭେଜାପୁଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ନାଲକୋ ଉପମହାପ୍ରବନ୍ଧକ ଭିଏସବି ବାଥୁଲାଙ୍କ ସହିତ ଅଧିକାରୀ ଅରୁଣ କୁମାର ମହାନ୍ତି ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।ସ୍ୱଚ୍ଛତା ପାଇଁ ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥିବାବେଳେ ନାଲକୋ ପକ୍ଷରୁ ଝାଡ଼ୁ ଓ ଅନ୍ୟ ସଫା କରିବା ଊପକରଣ ସହିତ ଟି ସାର୍ଟ,ଗ୍ଲୋବସ,ମାସ୍କ,ଖାଦ୍ୟ,ପାଣି ଆଦି ଯୋଗାଇ ଦିଆଯାଇ ଥିଲା। ଦାମନଯୋଡି ଆଦର୍ଶ ଥାନା ପୋଲିସ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା ସହିତ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।ସ୍ବଚ୍ଛତାର ସୁଫଳ କିପରି ଜନ ମାନସରେ ପହଞ୍ଚିବ ଓ ଏହାର ଦୃଶ୍ୟମାନ ପରିବର୍ତ୍ତନ ପାଇଁ ଏକ ଦାୟିତ୍ୱ ସମ୍ପନ୍ନ କେନ୍ଦ୍ରୀୟ ଉଦ୍ୟୋଗ ରୂପେ ନାଲକୋ ପ୍ରୟାସ ଜାରି ରଖିବ ଓ ଭବିଷ୍ୟତରେ ଯାହା କରଣୀୟ କରିବ ବୋଲି ସୂଚନା ମିଳିଛି।