ଦାମନଯୋଡି,୨୯।୯:- ନବରତ୍ନ କମ୍ପାନୀ ନାଲକୋର ଖଣି ଓ ପରିଶୋଧନ ପ୍ରକଳ୍ପ ପକ୍ଷରୁ ଅକ୍ଟୋବର ୧ ରବିବାର ଦିନ ବିଶାଳ ସ୍ବଚ୍ଛତା ଅଭିଯାନ ହେବ ବୋଲି ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ସୁଶୀଲ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ ପୂର୍ବରୁ ଶ୍ରଦ୍ଧାଞ୍ଜଳୀ ଜଣାଇ ତାଙ୍କର ବାର୍ତ୍ତା "ସ୍ବଛତା ହିଁ ସେବା" ପୂର୍ବକ ବ୍ୟାପକ ସଫେଇ କାର୍ଯ୍ୟ ନାଲକୋ ପକ୍ଷରୁ ହାତକୁ ନିଆଯାଇଛି।ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ରବିବାର ଦିନ ଏକ ଘଣ୍ଟା ଶ୍ରମଦାନ କରି ନାଲକୋ ଟାଉନସିପ ମୂଖ୍ୟ ଫାଟକ ଠାରୁ ଭେଜାପୁଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପର୍ଯ୍ୟନ୍ତ ବ୍ୟାପକ ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି।ଏହି କାର୍ଯ୍ୟକ୍ରମରେ ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟାମନ୍ଦିର,ଦିଲ୍ଲୀ ପବ୍ଲିକ ସ୍କୁଲ ସହିତ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ସଚେତନତା ବାର୍ତ୍ତା ପ୍ରଦାନ କରିବେ।ନାଲକୋ ପକ୍ଷରୁ ପଥପ୍ରାନ୍ତ ନାଟକ କରାଯାଇ ସଫେଇ କାର୍ଯ୍ୟକୁ ଜନଆନ୍ଦୋଳନରେ ପରିଣତ କରାଯିବକୁ ପ୍ରୟାସ କରାଯିବ।ନାଲକୋ ଇଡିଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ,ସିଆଇଏସ୍ଏଫ୍ ଯବାନ, ଘରୋଇ ସୁରକ୍ଷା କର୍ମୀ,ଭେଜାପୁଟ ବଣିକ ସଂଘ,ନାଲକୋ ଠିକା କର୍ମଚାରୀ ଓ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ଭାଗ ନେବେ। ଏଥି ସହିତ ଦାମନଯୋଡିକୁ ପ୍ଲାଷ୍ଟିକମୁକ୍ତ କରିବାପାଇଁ ପ୍ରୟାସ କରାଯିବ ବୋଲି ଜଣାଯାଇଛି। ସ୍ବଚ୍ଛତାର ସୁଫଳ କିପରି ଜନ ମାନସରେ ପହଞ୍ଚିବ ଓ ଏହାର ଦୃଶ୍ୟମାନ ପରିବର୍ତ୍ତନ ପାଇଁ ଏକ ଦାୟିତ୍ୱ ସମ୍ପନ୍ନ କେନ୍ଦ୍ରୀୟ ଉଦ୍ୟୋଗ ରୂପେ ନାଲକୋ ପ୍ରୟାସ ଜାରି ରଖିବ ଓ ଭବିଷ୍ୟତରେ ଯାହା କରଣୀୟ କରିବ ବୋଲି ସୂଚନା ମିଳିଛି।