ନବରଙ୍ଗପୁର:- ରାୟଗଡ଼ାର ଏମ୍ ଏସ୍ ଏମ ଇ ସହଯୋଗରେ ନବରଙ୍ଗପୁର ମହାବିଦ୍ୟାଳୟରେ ଏକ ଦିନିକିଆ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିନୋଦ ଝା ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଏମ୍ ଏସ୍ଏମଇର ସହକାରୀ ନିର୍ଦ୍ଦେଶକ ଶ୍ରୀ ଏନ୍.କୋଟି ରତନମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାରତର ବିଭିନ୍ନ କ୍ଷୁଦ୍ରଶିଳ୍ପର ବିକାଶ ଏବଂ ସରକାରଙ୍କର ବିଭିନ୍ନ ଶିଳ୍ପନୀତି ଓ ଯୋଜନାର ଉପାଦେୟତା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଭାସ୍କର ନାଥ ବିଶ୍ଵାଳ ସ୍ବାଗତ ଅଭିଭାଷଣ ଦେଇ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସଫଳ ଉଦ୍ୟୋଗୀ ହେବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ନାୟକ ବର୍ତ୍ତମାନ ଦେଶ ଗଠନର ବିକାଶରେ ଉଦ୍ୟୋଗୀମାନଙ୍କର ଭୂମିକା ଓ ପି ଏମ୍ ବିଶ୍ଵକର୍ମା ଯୋଜନାର ଉପାଦେୟତା ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଜଣାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶିଳ୍ପ ଉନ୍ନୟନ ଅଧିକାରୀ କେ. ବିକ୍ରମ ରାଓ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଶିଳ୍ପ ବିକାଶ ନୀତି ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଜିଲ୍ଲା ହସ୍ତତନ୍ତ ଉନ୍ନୟନ ଅଧିକାରୀ ସଚିନ କୁମାର ପଟେଲ ହସ୍ତତନ୍ତ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳ ଯୋଜନାଗୁଡିକ ସଂପର୍କରେ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନର ଅଧ୍ୟାପକ ପ୍ରଦୀପ୍ତ ଦାସ ସଂଯୋଜନା କରିଥିବା ବେଳେ ବାଣିଜ୍ୟ ବିଭାଗର ଅଧ୍ୟାପିକା ବିଜେତା ସୁନାଧର୍ ସହଯୋଗ କରିଥିଲେ । ପରିଶେଷରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଡକ୍ଟର ଜାହାଙ୍ଗୀର ମହମ୍ମଦ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।