ଦାମନଯୋଡି,୧୭/୦୯:- ପବିତ୍ର କନ୍ୟା ସଂକ୍ରାନ୍ତିରେ ରବିବାର ଦାମନଯୋଡିର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ଶ୍ରୀବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ନାଲକୋର ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ଓ ବିଶୋଧନାଗାରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀଙ୍କ ପୂଜା ଭକ୍ତି ଓ ନିଷ୍ଠାର ସହିତ ଅନୁଷ୍ଠିତ ହୋଇଥିଲା।ସେହିପରି ସେକ୍ଟର ୩ ସ୍ଥିତ ଶ୍ରୀ ବିଶ୍ୱକର୍ମାଙ୍କ ମନ୍ଦିରରେ ଦେବଶିଳ୍ପୀଙ୍କ ଜୟନ୍ତୀ ପାଇଁ ସ୍ଵତନ୍ତ୍ର ପୂଜାନୀତି ହୋଇଥିଲା। ସେକ୍ଟର ୧ ପଡ଼ିଆରେ ନାଲକୋର ଏସପିପି, ଇଲେକ୍ଟ୍ରିକାଲ,ମେକାନିକାଲ ଓ ଅପରେସନ ବିଭାଗ ପକ୍ଷରୁ ପୃଥକ ପୃଥକ ପୂଜା ମଣ୍ଡପ ସ୍ଥାପିତ ହୋଇଛି।ସେହିପରି ସେକ୍ଟର ୨ ସିଭିଲ ମେଣ୍ଟେନାନସ ଓ ଇଲେକ୍ଟ୍ରିକାଲ ମେଣ୍ଟେନାନସ ପକ୍ଷରୁ ପୃଥକ ମଣ୍ଡପରେ ଶ୍ରୀ ବିଶ୍ଵକର୍ମାଙ୍କ ପୂଜା ଚାଲିଛି।ଭାରତୀୟ ମଜଦୂର ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ଠାରେ ଦେବଶିଳ୍ପୀଙ୍କ ପୂଜା ହେଉଛି। ନାଲକୋ ସେହିପରି ବିଭିନ୍ନ ଠିକା ସଂସ୍ଥା,ବ୍ୟବସାୟ ପ୍ରତିଷ୍ଠାନ ଓ ସଂଗଠନଙ୍କ ପକ୍ଷରୁ ଦେବଶିଳ୍ପୀଙ୍କ ପୂଜା ଚାଲିଛି।ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ଦେବଶିଳ୍ପୀଙ୍କ ଦର୍ଶନ ସହିତ ଆକର୍ଷଣୀୟ ତୋରଣ,ସୁନ୍ଦର ଆଲୋକ ସଜ୍ଜା,ଚିତ୍ତାକର୍ଷକ ପୂଜା ମଣ୍ଡପ,ପାର୍ଶ୍ଵ ଦେବାଦେବୀ ଓ ସଚେତନଧର୍ମୀ ପ୍ରଦର୍ଶନ ଆଦି ଦେଖିବାକୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଯାଇଥିଲା।କନ୍ୟା ସଂକ୍ରାନ୍ତି ପାଇଁ ଦାମନଯୋଡିର ଆରାଧ୍ୟା ଦେବୀ ମା' କଣ୍ଟାବାଉଁଶୁଣୀଙ୍କ ପୀଠ ସହିତ ଅନ୍ୟ ଦେବଦେବୀଙ୍କ ମନ୍ଦିର ମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଯାଇଥିଲା।