ଦାମନଯୋଡି,୧୩/୦୯:- ସମସ୍ତଙ୍କୁ ସମୟ ମୁତାବକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ବୁଧବାର କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍ ଭଵଃ’ ଅଭିଯାନକୁ ମାନନୀୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ଚୁଆଲ୍ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। କୋରାପୁଟ ବ୍ଲକ ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏହାର ସିଧା ପ୍ରସାରଣ ବ୍ୟବସ୍ଥା ହୋଇଥିଲା।ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋ ଙ୍କ ସହିତ କାର୍ଯ୍ୟକ୍ରମରେ ଡା.ତାପସ ରଂଜନ ବେହେରା,ବିପିଏମ ନୂତନ ସିଂଙ୍କ ସହିତ ଅନ୍ୟ ଡାକ୍ତର ଓ କର୍ମଚାରୀ ଏହି ସିଧା ପ୍ରସାରଣ ଦେଖିଥିଲେ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମାନଙ୍କରେ ମଧ୍ଯ ଡାକ୍ତର ଓ କର୍ମଚାରୀ ରାଷ୍ଟ୍ରପତି ଙ୍କ ଉଦ୍ଘାଟନ ର ସିଧାପ୍ରସାରଣ ଦେଖିଥିଲେ। ଏହି ୧୩ରେ ଶୁଭାରମ୍ଭ କରାଯାଇଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମିଦିନ (ସେପ୍ଟେମ୍ବର ୧୭)ରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାଯାଇଛି।ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ‘ସେବା ପକ୍ଷ’ ଅଭିଯାନ ଚାଲିବାକୁ ଯାଉଛି। ‘ଆୟୁଷ୍ମାନ ଭଵଃ’ ଯୋଜନାର ସୁଫଳ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ନିକଟରେ କିପରି ପହଞ୍ଚିବ,ସେଥିନେଇ ବ୍ୟବସ୍ଥା ହୋଇଥିବା ଜଣା ଯାଇଛି।‘ଆୟୁଷ୍ମାନ ଭଵଃ’ ଯୋଜନା ଅଧୀନରେ ଏକାଧିକ ଅନ୍ୟ ଯୋଜନାକୁ ସାମିଲ କରାଯାଇଛି।ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ‘ଆୟୁଷ୍ମାନ ମେଳା’ ଆୟୋଜିତ ହେବାକୁ ଥିବାବେଳେ ପ୍ରତ୍ୟେକ ୱାର୍ଡ ଓ ପଞ୍ଚାୟତରେ ‘ଆୟୁଷ୍ମାନ ସଭା’ ଆୟୋଜନର ହେବ।ଏଥି ସହିତ ଅଙ୍ଗ ଦାନ,ରକ୍ତ ଦାନ ଓ ସ୍ବଚ୍ଛତା ଅଭିଯାନ ପ୍ରତି ଗୁରୁତ୍ଵ ଦେବା ଲକ୍ଷ୍ୟ ରହିଛି।ଏହି ମେଳା ଓ ସଭା ମାଧ୍ୟମରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବା ପ୍ରତି ସଚେତନତା ସୃଷ୍ଟି କରାଯିବ। ସ୍ବାସ୍ଥ୍ୟ ସଚେତନ ୱାର୍ଡ ଓ ପଞ୍ଚାୟତଗୁଡିକୁ ‘ଆୟୁଷ୍ମାନ୍ ୱାର୍ଡ’ ଓ ‘ଆୟୁଷ୍ମାନ୍ ଗ୍ରାମପଞ୍ଚାୟତ’ ମାନ୍ୟତା ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି ।