ସାନଖେମୁଣ୍ଡି :- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ନିକଟସ୍ଥ ବାପୁଜୀ ନଗର ଠାରେ ଥିବା ସତସଙ୍ଗ ଭବନରେ ରବିବାର ଦିନ ସ୍ପନ୍ଦନା ଇଦା ଇଣ୍ଟରନେସେନାଲ ଫାଉଣ୍ଡେସନ ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ଃ କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ବିଶ୍ଵ ରେ ବଢୁଥିବା ଆତ୍ମହତ୍ୟାକୁ କିପରି ରୋକିପରିବା ଏବଂ ଜୀବନର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଏଥିରେ ସ୍ପନ୍ଦନା ଇଦା ଇଣ୍ଟରନେସେନାଲ ଫାଉଣ୍ଡେସନ ଓଡ଼ିଶା ରାଜ୍ୟ ଶାଖାର ପି ଶିବଶଙ୍କର ପାତ୍ର, ଜଗମୋହନ ପାଣିଗ୍ରାହୀ, ଡି ମୁକେଶ କୁମାର ପାତ୍ର, ସତ୍ୟନାରାୟଣ ନାୟକ, ନୀଳାଞ୍ଚଳ ସେଠୀ, ସୋମନାଥ ସାହୁ, ଦୀପକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟାପକ ତ୍ରିଲୋଚନ ନାୟକ, ଶ୍ରୀଧର ତ୍ରିପାଠୀ, ସମ୍ଭୁ ରାଉଳ ପ୍ରମୁଖ ଯୋଗ ଦେଇଥିଲେ । ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ଜୀବନର ମୂଲ୍ୟବୋଧ ବିଷୟରେ ଏବଂ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆଗଭର ହୋଇଥିଲେ । ଶେଷରେ ସ୍ପନ୍ଦନା ଫାଉଣ୍ଡେସନ ତରଫରୁ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ