ନବରଙ୍ଗପୁର:-ସେଦିନ ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ । ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନର ଡ଼ାକରାରେ ଉଦବୁଦ୍ଧ ହୋଇ ନବରଙ୍ଗପୁର ଜିଲ୍ଲାର ହଜାର ହଜାର ସ୍ବାଧୀନତାସଂଗ୍ରାମୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଯିବାର ଥିଲା ଡାବୁଗାଁ । ହେଲେ ପାପଡାହାଣ୍ଡି ତୁରିନଦୀ କୂଳରେ ପହଂଚିବା କ୍ଷଣି ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଉପରକୁ ବ୍ରିଟିଶ ପକ୍ଷରୁ ହୋଇଥିଲା ଗୁଳି ବର୍ଷା । ବ୍ରିଟିଶ ଗୁଳିରେ ସହିଦ ହୋଇଥିଲେ ୧୯ ସ୍ବାଧୀନତା ସଂଗ୍ରାମୀ । ବୀର ରକ୍ତରେ ରଞ୍ଜିତ ହୋଇଯାଇଥିଲା ତୁରିନଦୀର ପାଣି । ଆଉ କିଛି ଗୁରୁତର ଓ ଆହତ ହୋଇଥିଲେ ।୯୨ ଜଣ ସ୍ବାଧୀନତା ସଂଗ୍ରାମୀ ଗିରଫ ହୋଇଥିଲେ । ୫୦ ରୁ ଅଧିକ ସଂଗ୍ରାମୀ ଜୀବନ ବଞ୍ଚାଇବାକୁ ତୁରିନଦୀର ପ୍ରଖର ଜଳରେ ଡେଇଁ ପଡ଼ିଥିଲେ । ତା ପରଠାରୁ ସେମାନଙ୍କର ଖୋଜ ଖବର କିଛି ନାହିଁ । ନା ଜୀବିତ ଅବସ୍ଥାରେ ଫେରିଥିଲେ ନା ମିଳିଥିଲା ମୃତଦେହ । ପାତ୍ରପୁଟ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ମହାଦେବ ଅମନାତ୍ୟଙ୍କୁ ସରକାରୀ ସାକ୍ଷୀ ହେବାପାଇଁ ବ୍ରିଟିଶ ପୋଲିସ ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ । ଏହି ନିର୍ଯ୍ୟାତନା ସହିନପାରି ମହାଦେବ ଘରେ ଆତ୍ମହତ୍ୟା କରିଥିଲେ । ସେହିପରି ଅନେକ ନିଖୋଜ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁରଗାଁର ପୀତବାସ ପାତ୍ର ବି ଜଣେ । ସାରା ଜିଲ୍ଲାରୁ ଆସିଥିବା ତାଙ୍କପରି ଅନେକ ସ୍ବାଧୀନତା ସଂଗ୍ରାମୀ ସେଦିନ ତୁରୀ ନଦୀ ପାଣିରେ ନିଖୋଜ ହେଇ ଯାଇଥିଲେ । ନିଖୋଜ ହୋଇଥିବା ସଂଗ୍ରାମୀ ପରିବାର ସଦସ୍ୟଙ୍କ ମନରେ ଗୋଟିଏ ଦୁଃଖ । ସେଦିନରୁ ନିଖୋଜ ତାଲିକାରେ ଏହି ବ୍ୟକ୍ତିଙ୍କ ନାଁ ସେମିତି ବନ୍ଦ ହୋଇ ରହିଛି ।ସେମାନଙ୍କୁ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା ମିଳିଛି ନା ମିଳିଛି ସହିଦର ମାନ୍ୟତା। ସହିଦଙ୍କ ସ୍ମୃତିରେ ତୁରିନଦୀ କୂଳରେ ନିର୍ମାଣ ହୋଇଛି ସହିଦ ମିନାର । ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ସହିଦ ସମ୍ମୁର୍ତି ଦିବସ । ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ ମାନଙ୍କୁ ଗୋଟିଏ ସାଲ ଦେଇ ସମ୍ମାନିତ କରି କର୍ତ୍ତବ୍ୟ ସମ୍ପାଦନ କରୁଛି ପ୍ରଶାସନ। ହେଲେ ସହିଦଙ୍କ ଦାୟାଦମାନେ ଶୋଚନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।ସେମାନେ ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ । କୁଳିମଜୁରୀ କଲେ ପେଟକୁ ମୁଠାଏ ଖାଇବାକୁ ମିଳେ । ତେଣୁ ଏହି ସହିଦଙ୍କ ପରିବାରଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା, ନିଖୋଜ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ମାନ୍ୟତା ଦେବାକୁ ଦାବି ହୋଇଛି ଏହାବ୍ୟତୀତ ସରକାରୀ ରିପୋର୍ଟ ଅନୁସାରେ ବ୍ରିଟିଶ ଗୁଳିରେ ୧୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପ୍ରକୃତରେ ମୃତ୍ୟୁ ସହିଦଙ୍କ ସଂଖ୍ୟା ଅଧିକ ରହିଛି। ଏହି ଘଟଣାର ତଦନ୍ତ କରି ସହିଦ ମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି ନବରଙ୍ଗପୁର ଜିଲ୍ଲା ସହିଦ ସ୍ମୃତି ସଂସଦ।ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଆଜି ଜିଲ୍ଲାପାଳ କମାଲଲୋଚନ ମିଶ୍ରଙ୍କ ସହ ସାଂସଦ ଠାରୁ ବିଧାୟକ ପର୍ଯ୍ୟନ୍ତ ଜିଲ୍ଲାସମସ୍ତ ଜନପ୍ରତିନିଧି ଏବଂ ସହିଦ ମାନଙ୍କ ଦାୟାଦ ମାନେ।