Tuesday, August 23, 2022
Homeଦାମନଯୋଡିରେ ସ୍ଵାଧୀନତା ଦିବସ

ଦାମନଯୋଡିରେ ସ୍ଵାଧୀନତା ଦିବସ

ଦାମନଯୋଡି,୧୫/୦୮:- ଦାମନଯୋଡିରେ ବିଭିନ୍ନ ସଂଗଠନ ପକ୍ଷରୁ   ୭୭ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି। କେନ୍ଦ୍ରୀୟ ନବରତ୍ନ ଉଦ୍ୟୋଗ ନାଲକୋ ପକ୍ଷରୁ ସେକ୍ଟର ୩ ନେତାଜୀ ଷ୍ଟାଡିୟମରେ ସ୍ଵାଧୀନତା ଦିବସ ପାଳନର ଆୟୋଜନ ହୋଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶୀଲ କୁମାର ପାଢ଼ୀ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ।କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବାହିନୀ (ସିଆଇଏସଏଫ),ଘରୋଇ ଇଏସଏସ ସୁରକ୍ଷା ବଳ,ସରସ୍ୱତୀ ବିଦ୍ୟା ମନ୍ଦିର ଓ ଦିଲ୍ଲୀ ପବ୍ଲିକ ସ୍କୁଲର ମୋଟ ୧୨ଗୋଟି ଦଳ ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିଲେ।ନାଲକୋର ମୁଖ୍ୟ ପରିଚାଳନା ନିର୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀଧର ପାତ୍ରଙ୍କ ପ୍ରେରିତ ବାର୍ତ୍ତାକୁ ସମୂହ ମହାପ୍ରବନ୍ଧକ ସ୍ୱରୁପାନନ୍ଦ ମିଶ୍ର ପାଠ କରିଥିଲେ।ପ୍ୟାରେଡ୍ ପୁରସ୍କାର ସହିତ ନାଲକୋର ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ସର୍ଜନା ପୁରସ୍କାର, ଟାଉନସିପ ସମେତ ଆଖପାଖ ବିଭିନ୍ନ ସ୍କୁଲର ଦ୍ୱାଦଶ ଓ ଦଶମ ଟପ୍ପର,ଉଲ୍ଲେଖନୀୟ ସେବା ପାଇଁ ସିଆଇଏସଏଫ ଓ ଇଏସଏସ ସୁରକ୍ଷା କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ସିଆଇଏସଏଫ୍ କମାଣ୍ଡାଣ୍ଟ ସତୀଶ କୁମାର ସିଂ ଙ୍କ ସହିତ ଅନ୍ୟ ଅଧିକାରୀ,ନାଲକୋ ମାନବ ସମ୍ବଳ ବିଭାଗର ସମୂହ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ସମୂହ ମହାପ୍ରବନ୍ଧକ ଓ ଅନ୍ୟ ବରିଷ୍ଠ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ନିର୍ମଳ କୁମାର ରାଉତ ମଞ୍ଚ ସଂଯୋଜନା କରିଥିଲେ। ନାଲକୋର କମନ ୱେଲଫେୟାର କମିଟି ପକ୍ଷରୁ କାର୍ଯ୍ୟକ୍ରମ  ଆୟୋଜିତ ହୋଇଥିଲା।ସେହିପରି ମାଥାଲପୁଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅଧିକାରୀ ଡା.ସୁମନ କୁମାର ଟପ୍ନୋ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଡା.ତାପସ ରଞ୍ଜନ ବେହେରାଙ୍କ ସହିତ ଡାକ୍ତର ଓ କର୍ମଚାରୀ, ଆଶାକର୍ମୀ ଗୀତାଞ୍ଜଳି ପ୍ରମୁଖ ଉପସ୍ଥିତ ଥିଲେ।ଦାମନଯୋଡି ମିଡିଆ ହାଉସ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ନରସିଂହ ବ୍ରହ୍ମା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ସାହୁଙ୍କ ସହିତ ସମ୍ପାଦକ ମାନସ ରଞ୍ଜନ କର ଓ ଅନ୍ୟ କର୍ମକର୍ତ୍ତା,ସଦସ୍ୟ ଉପସ୍ଥିତ ଥିଲେ।ଦାମନଯୋଡି ତଥା ପାରିପାର୍ଶ୍ୱିକ ଅଞ୍ଚଳ ମାଥାଲପୁଟ, ଭେଜାପୁଟ,ଲିଟିଗୁଡ଼ା,ଚାରଙ୍ଗୁଲ,ମରିଚମାଳରେ ମଧ୍ୟ ଆଡମ୍ବର ସହକାରେ ସ୍ଵାଧୀନତା ଦିବସ ପାଳିତ ହୋଇଥିବା ଦେଖାଯାଇଥିଲା । ବିଭିନ୍ନ ଶିକ୍ଷା ଅନୁଷ୍ଠାନ,ପଞ୍ଚାୟତ କାର୍ଯ୍ୟାଳୟ,ଥାନା,ନାଲକୋର ବିଭିନ୍ନ କର୍ମଚାରୀ ସଂଘ,ଠିକା କର୍ମଚାରୀ ସଂଘ, ବିଭିନ୍ନ ମାର୍କେଟ କମିଟି ସମେତ ଅନ୍ୟ ସଂଗଠନ ପକ୍ଷରୁ ମଧ୍ୟ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା।  'ହର ଘର ତ୍ରିରଙ୍ଗା' ଆହ୍ଵାନରେ ଜନସାଧାରଣ ନିଜ ଘର ମାନଙ୍କରେ  ଜାତୀୟ ପତାକା ଉଡ଼ାଇଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!