Tuesday, August 23, 2022
Homeମହାନ ସ୍ବାଧୀନତା ସଂଗ୍ରାମୀ ଶହୀଦ ବୀର ଲକ୍ଷ୍ମଣ ନୟକ (ଆଲେଖ୍ଯ:କେଶବ ଚନ୍ଦ୍ର ନାୟକ,ଏମ.ଏ ସମାଜ ବିଜ୍ଞାନ)

ମହାନ ସ୍ବାଧୀନତା ସଂଗ୍ରାମୀ ଶହୀଦ ବୀର ଲକ୍ଷ୍ମଣ ନୟକ (ଆଲେଖ୍ଯ:କେଶବ ଚନ୍ଦ୍ର ନାୟକ,ଏମ.ଏ ସମାଜ ବିଜ୍ଞାନ)

ମହାନ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳି ଗୁମ୍ମା ଠାରେ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ Iତାଙ୍କ ବାପାଙ୍କ ନାମ ପଦଲାମ ନାୟକ I ପଦଲାମ ନାୟକ ଥିଲେ ତେନ୍ତୁଳି ଗୁମ୍ମା ଅଞ୍ଚଳର ମୁସ୍ତାଦାର ବା ନାୟକ I ଜୟପୁର ରାଜା ୩ୟ ବିକ୍ରମ ଦେଓ ୧୮୮୯ ଠାରୁ ୧୯୨୦ ଶାସନାଧିନ ଥିଲେ,ସେ ପଦଲାମଙ୍କୁ ମୁସ୍ତଦାର ପଦବୀରେ ନିଯୁକ୍ତି ଦେଇଥିଲେ I ପଦଲାମ ତେନ୍ତୁଳି ଗୁମ୍ମା,ବେଜୁଣି ଗୁମ୍ମା,ଲେକି ଗୁଡା,ଅଁଳାଗୁଡା...ଏହି ଚାରି ଗାଁର ଖଜଣା ଆଦାୟ କରି ଦେଉଥିଲେ I
ଲକ୍ଷ୍ମଣ ନାୟକ ସେ ଅଞ୍ଚଳରେ ବିଦ୍ଯାଳୟ ନଥିବାରୁ ପାଠ ପଢିବାର ସୁଯୋଗ ପାଇନଥିଲେ I ତାଙ୍କ ବାପା ହିଁ ଥିଲେ ଶିକ୍ଷା ଓ ଦୀକ୍ଷା ଗୁରୁ Iକୋଲାବ ନଈର ବାଲୁକା ଶଯ୍ଯା ଥିଲା ସିଲଟ,କାଠି ଥିଲା ଲେଖିବାର ମାଧ୍ଯମ I ତାଙ୍କର ନାଁ ଟି ଲେଖିବା ପରେ ପାଠ ପଢା ହେଲା ଶେଷ I ଲକ୍ଷ୍ମଣ ନାୟକଙ୍କୁ ଯେତେବେଳେ ହେଲା ୧୯ ବର୍ଷ ସେ ସାନଗୁମ୍ମାର ଘାସି ଭୂମିଆଙ୍କ ଝିଅ ମଙ୍ଗୁଳି(୧୬) ବର୍ଷଙ୍କ ସହ ବିବାହ କଲେ I ୨୧ ବର୍ଷ ବୟସରେ ସେ ବାପା ହେଲେ I ତାଙ୍କର ପୁଅଟିଏ ଜନ୍ମ ହେଲା Iତା' ନାଁ ରଘୁନାଥ ରଖାଗଲା I
୧୯୩୦ ମସିହାରେ ପଦଲାଙ୍କ ବାର୍ଦ୍ଧକ୍ଯ ବୟସ ହେବା ଯୋଗୁଁ  ମୁସ୍ତାଦାର ପଦବୀରେ ପୁଅ ଲକ୍ଷ୍ମଣ ନାୟକଙ୍କୁ ଅର୍ପଣ କଲେ I ଲକ୍ଷ୍ମଣ ମୁସ୍ତାଦାର ହେଲା ପରେ ବାପାଙ୍କ ସମସ୍ତ କାର୍ଯ୍ଯ ନିର୍ବାହ କଲେ I ୧୯୩୦ ରୁ ୧୯୩୭ ପର୍ଯ୍ଯନ୍ତ ମୁସ୍ତାଦାର କାର୍ଯ୍ଯ ଆନ୍ତରିକ ସହ ତୁଲାଇଲେ I ୧୯୩୬ ମସିହା ଏପ୍ରିଲ ୧ ଓଡିଶା ଏକ ସ୍ବତନ୍ତ୍ର ରାଜ୍ଯର ମାନ୍ଯତା ପାଇଲା I ଜୟପୁର ରାଜ୍ଯ ବିଶାଖା ପାଟଣାରୁ ଅଲଗା ହୋଇ କୋରାପୁଟ ଜିଲ୍ଲାରେ ପରିଣତ ହେଲା I ଜୟପୁର ମହାରାଜା ୪ର୍ଥ  ବିକ୍ରମ ଦେଓ ୧୯୩୧ ରୁ ୧୯୫୧ ଶାସନ ଦାୟିତ୍ବରେ ଥିଲେ I
ରାଧା ମୋହନ ବିଶ୍ବାସରାୟ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେଲେ I ୧୯୩୭ ମସିହାରେ ଜୟପୁର ଠାରୁ ୭ ମାଇଲ ଦୂରରେ ଥିବା ନୂଆପୁଟ ଠାରେ କଂଗ୍ରସ ତାଲିମ କେନ୍ଦ୍ର ଖୋଲିଲା I ପ୍ରଥମ ଦଫାରେ ୩୫୦ ଜଣ କଂଗ୍ରେସ କର୍ମୀଙ୍କୁ ତାଲିମ ଦେବାକୁ ସ୍ଥିର କରାଗଲା I ଏହି ପ୍ରଶିକ୍ଷଣ ଶିବିରରେ ଲକ୍ଷ୍ମଣ ନାୟକ ମଧ୍ଯ ସାମିଲ ଥିଲେ I ସେ ଏହି କେନ୍ଦ୍ରରୁ ୩ ମାସ ପର୍ଯ୍ଯନ୍ତ ପ୍ରଶିକ୍ଷଣ ନେଲେ I
୧.ସତ୍ଯ ୨. ଅହିଂସା ୩.ବ୍ରହ୍ମଚର୍ଯ୍ଯ ୪.ଭଗବତ ବିଶ୍ବାସ ୫.ନିଶା ନିବାରଣ ୬.ଛୁଆଁ ଅଛୁଆଁ ଦୂରିକରଣ ୭.ସ୍ବଦେଶୀ ସାମଗ୍ରୀ ବ୍ଯବହାର ୮.ଶିକ୍ଷା ୯. ପରିମଳ ବା ଗ୍ରାମ ସଫେଇ ୧୦ ନିଜ କାମ ନିଜେ କରିବା I
କଂଗ୍ରେସର ଆଦର୍ଶରେ ଅନୁପ୍ରଣିତ ହୋଇ ଲକ୍ଷ୍ମଣ ନାୟକ ଗାଁ ସାଥିମାନଙ୍କୁ ନେଇ ସୂତା କାଟିବା,ଗାଁ ପରିମଳ,ନିଶା ନିବାରଣ,ଅକ୍ଷର ଶିକ୍ଷା, ସନ୍ଧ୍ଯାରେ ରାମଧୂନ ଗାଇବା ଆଦି କାର୍ଯ୍ଯରେ ନିଜକୁ ନୟୋଜିତ କଲେ I
୧୯୪୨ ମସିହା ଅଗଷ୍ଟ ୭,୮, ୯ ତାରିଖରେ ଭାରତ ଛାଡ ଆନ୍ଦୋଳନ ମହାତ୍ମାଗାନ୍ଧିଙ୍କ ନେତୃତ୍ବରେ ବମ୍ବେ ଠାରେ ଅନୁଷ୍ଠିତ ହେଲା I "କର ଅବା ମର"- ମହାତ୍ମାଗାନ୍ଧିଙ୍କ ଡାକରାରେ ଗୋରା ସରକାରଙ୍କ ମୂଳଦୁଆ ଦୋହଲାଇ ଦେଲା I ଅଗଷ୍ଟ ୯ ସକାଳ ୫ ଟାରେ ମହାତ୍ମା ଗାନ୍ଧିଙ୍କୁ ବନ୍ଦୀ କରାଗଲା I ଅଗଷ୍ଟ ୯ ଭାରତ ଛାଡ ଆନ୍ଦୋଳନର ନକଲ ଧରି ରାଧାକୃଷ୍ଣ ବିଶ୍ବାସ ରାୟ ଓଡିଶା ଫେରିଲେ I ଅଗଷ୍ଟ ୧୧ ତାରିଖରେ ସାଲୁର ରୁ ଜୟପୁରକୁ ଫେରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇ କୋରାପୁଟ ଜେଲକୁ ନିଆ ଗଲା I ଶେଷରେ ଭାରତ ଛାଡ ଆନ୍ଦୋଳନର ବାର୍ତ୍ତା ଲକ୍ଷ୍ମଣ ନାୟକଙ୍କ ନିକଟରେ ପହଞ୍ଚିଲା I ୧୯୪୨ ମସିହା ଅଗଷ୍ଟ ୨୧ ତାରଖ ଦିନ ମାଥିଲି ଥାନା ଘେରାଉ ଲାଗି ଲକ୍ଷ୍ମଣ ନାୟକ ତେନ୍ତୁଳି ଗୁମ୍ମାରୁ ପଦଯାତ୍ରା ଆରମ୍ଭ କଲେ I
ଲକ୍ଷ୍ମଣ ନାୟକ ଅସହ ଯୋଗ ଆନ୍ଦୋଳନ ଓ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେବାରୁ ତତ୍କାଳୀନ ଜୟପୁର ରାଜା ତାଙ୍କୁ ମୁସ୍ତାଦାର ପଦବୀରୁ ବହିସ୍କାର କରିଥିଲେ I ତାଙ୍କର ନାୟକ ପଦବୀ ଚିର ଦିନ ପାଇଁ ହରାଇବାକୁ ପଡିଥିଲା I ସେଥିରେ ସେ ତିଳେ ମଧ୍ଯ ବିଚଳିତ ନଥିଲେ I
ଶ୍ରାବଣ ମାସ I ମେଘ ପୂର୍ଣ୍ଣ ଗଗନ I ସେ ଦିନ ଶକ୍ରବାର I ହାଟପାଳି I ଅଗଷ୍ଟ ୨୧ ତାରିଖ ୧୯୪୨ ମାଥିଲି ଥାନା  ଘେରାଉ ଲାଗି ଲକ୍ଷ୍ମଣ ନାୟକଙ୍କ ନେତ୍ରୁତ୍ବରେ ଶହ ଶହ ସ୍ବାଧୀନତା ସଂଗ୍ରାମୀ ହାଟପଦା ଠାରେ ଏକତ୍ରୀତ ହେଲେ I ୧୯୪୧ ଜନଗଣନା ଅନୁସାରେ ମାଥିଲିର ଜନସଂଖ୍ଯା ଥିଲା ୧୯୩୪ I ସେତେବେଳେ ମାଥିଲି ଠାରେ ଗୋଟାଏ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର, ଗୋଟାଏ ସ୍କୁଲ,ଗୋଟାଏ ଥାନା ପ୍ରତିଷ୍ଠା ହୋଇଥିଲା I
ମାଥିଲି ପୋଲିସ ଥାନା ଘେରାଉ ହେବାର ଜାଣି ସୁରକ୍ଷାକୁ ବଢାଇ ଦିଆଗଲା I ସେଦିନ  ମାଲକାନଗିରି ଓ ଭେଙ୍କଟ ପଲମ ପୋଲିସ ବଳ ମାଥିଲି ଥାନାରେ ପହଞ୍ଚି ଥିଲେ I ମାଲକାନଗିରି  ଥାନା ସବ- ଇନସ୍ପେକ୍ଟର ବି.ଏସ. ନନ୍ଦ,ଭେଙ୍କଟ ପଲମ ସବ-ଇନସ୍ପେକ୍ଟର କେ. ରାମ ମୂର୍ତ୍ତି,ଅବକାରୀ ସବ-ଇନସ୍ପେକ୍ଟର ଏମ.ଏ.ରସିଦ, ଆର.ଆଇ ନର ସିଂହମ,ଫରେଷ୍ଟ ଗାର୍ଡ ଜି.ରାମେୟା, ସବ-ଡେପୁଟି ମାଜିଷ୍ଟ୍ରେଟ ମୁଜିବର ରହମାନ ପ୍ରମୁଖ ମାଥିଲି ଥାନାରେ ପହଞ୍ଚି ଥିଲେ I
ମାଥିଲି ଥାନା ଏକ ଚାଳ ଘରେ ଚାଲିଥିଲା I ଥାନା ଚାରିପଟେ ବାଉଁଶ ବାଡ I ଥାନା ନିକଟକୁ ଲାଗି ବଣ I ପାଖରେ ନାଳ ପ୍ରବାହିତ ହେଉଥିଲା I ନାଳ ଉପରେ ବାଉଁଶ ତିଆରି ପୋଲ I ଥାନାକୁ ଚାରିଆଡୁ ଘେରି ରହିଲେ ପୋଲିସ ବଳ I ଅପରାହ୍ନ ସମୟ I ମେଘାଛନ୍ନ ଆକାଶ ହେତୁ ସୂର୍ଯ୍ଯଙ୍କ ଦେଖା ନାହିଁ  I ସଂଗ୍ରାମୀମାନେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ବରେ ହାତରେ ତ୍ରୀରଙ୍ଗା ପତାକା ଧରି "ମହାତ୍ମା ଗାନ୍ଧି କି ଜୟ"- କହି ଥାନା ଆଡକୁ ଅଗ୍ରସର ହେଲେ I ହଜାର କଣ୍ଠରେ ତାହା ପ୍ରତିଧ୍ବନିତ ହେଲା I କଂଗ୍ରେସ କର୍ମୀମାନଙ୍କ ଡାକରେ ଗଗନ ପବନ ମୁଖରିତ ହେଲା I ଥାନା ଭିତରକୁ କଂଗ୍ରେସ କର୍ମୀମାନେ ତ୍ରିରଙ୍ଗା ପତାକା ଧରି ପ୍ରବେଶ କରିବାକୁ ଉଦ୍ଯମ କଲା ବେଳେ ପୋଲିସ ବାଧା ଦେଲେ I ସଂଗ୍ରାମୀମାନେ ଥାନା ଉପରେ ପତକା ଉଡାଇବାକୁ ଶପଥ ନେଲେ I ଶାନ୍ତି ଶ୍ରୁଙ୍ଖଳା ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ମୁଜିବର ରହମନ ଲାଠି ମାଡ କରିବା ପାଇଁ ପୋଲିସକୁ ଆଦେଶ ଦେଲେ I ଫଳରେ ପୋଲିସ ସ୍ବାଧୀନତା ସଂଗ୍ରମୀମାନଙ୍କୁ ନିର୍ମମ ଲାଠି ପ୍ରହାର କଲା I ପୋଲିସ ମାଡରେ ବହୁ ସଂଗ୍ରାମୀଙ୍କ ହାତ ଭାଙ୍ଗିଲା,କାହାର ମୁଣ୍ଡ ଫାଟିଲା,କେହି ଗୁରୁତର ଆହାତ ହେଲା I ସତ୍ଯାଗ୍ରହୀମାନେ ଅହିଂସା ନୀତି ଅବଲମ୍ବନ କରି ଥାନା ପରିସର ମଧ୍ଯକୁ ପ୍ରବେଶ କଲେ I
ଠିକ ଏହି ସମୟରେ ପୋଲିସ ସାମନାରେ ଲକ୍ଷ୍ମଣ ନାୟକ ପ୍ରତି ହିଂସା ପରୟଣ ହୋଇ ଉଠିଲା I ଚାରି ଜଣ ପୋଲିସ ଲକ୍ଷ୍ମଣ ନାୟକଙ୍କୁ ଘୋଷାରି ଘୋଷାରି ନେଇ ନିଶକୁ ଧରି ଓପାଡିବା ସହ ପ୍ରବଳ ମାତ୍ରାରେ ଲାଠି ପ୍ରହାର କରି ଲହୁ ଲୁହାଣ କରିଦେଲେ I ଶେଷରେ ପୋଲିସର ବନ୍ଧୁକ ପ୍ରହାର ଯୋଗୁଁ ଲକ୍ଷ୍ମଣ ନାୟକ ଚେତା ହରାଇ ଧରାଶାୟୀ ହୋଇଗଲେ Iସଂଗ୍ରମୀମାନେ ଲକ୍ଷ୍ମଣ ନାୟକଙ୍କ ଦୁରବସ୍ଥା ଦେଖି ମ୍ରିୟମାଣ ହୋଇ ପଡିଲେ I
ସଂଗ୍ରାମୀମାନେ ବଳରାମ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନାର ବାଉଁଶ ଘେରା ଭାଙ୍ଗି ଭିତରକୁ ପଶିଲେ I ସବ-ଇନସ୍ପେକ୍ଟର ରାମ ମୂର୍ତ୍ତି, ଜଗା ନାଇକୁଲ ଦୋରା ନିରସ୍ତ୍ର ଜନତାଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇଲା I ବନ୍ଧୁକ ଗୁଳିରେ ଜନତାଙ୍କ ମଧ୍ଯରେ ଆର୍ତ୍ତନାଦ ଗୁଞ୍ଜରିତ ହେଲା I ଏହି ସମୟରେ ଟିମସପୁଟର ଲିଙ୍ଗା ଭୂମିଆ ହାତରେ ତ୍ରିରଙ୍ଗା ପତାକା ଧରି ଥାନାର ଚାଳିଆ ଉପରେ ବାନ୍ଧିବାକୁ ଉଦ୍ଯମ କଲା ବେଳେ ପୋଲିସର ଗୁଳିରେ ତା' ମୁଣ୍ଡର ଖପୁରି ଉଡିଗଲା I ସେ ଘଟଣା ସ୍ଥଳରେ ପ୍ରାଣ ତ୍ଯାଗ କଲା I ସର୍ଗି ଗୁଡାର ନକୁଳ ମାଡକାମୀ ସେହି ପତକାକୁ ଧରି ଥାନା ଚାଳିଆରେ ଖୁଞ୍ଚିଲା ବେଳକୁ ପୋଲିସର ଗୁଳି ତା'ଛାତି ଭେଦ କଲା I ସେ ଘଟଣା ସ୍ଥଳରେ ଟଳି ପଡିଲା I  ଏହି ପରି ଭାବରେ ମଞ୍ଜରିଗୁଡାର ସମରା ନାୟକ,କିଆଙ୍ଗର କନ୍ଦା ସାନଝରିଆ,ସାନ ଗୁମ୍ମାର ଗୋପୀ ପୂଜାରା,ଟୁମୁରୁ ପାଲ୍ଲୀର ବଳରାମ ଭୂମିଆ,ବଇଁଶୀ ଘାଟର ଉଦୟନାଥ ଓଡି,ଟିମସପୁଟର ଗୁରୁ କୁଟିଆ ପୋଲିସ ଗୁଳି ପ୍ରାଣ ହରାଇଥିଲେ I କୁଜରା ଗୁଡାର ଅର୍ଜୁନ କୁଟିଆ ଏବଂ ନୂଆ ଗୁଜାର ନରସିଂହ ଡମ୍ବ ଗୁଳି ମାଡରେ ଭୀଷଣ ଆହାତ ହୋଇ ମେଡିକଲରେ ପ୍ରାଣ ତ୍ଯାଗ କରିଥିଲେ I
ଏହି ସମୟରେ ନିଶାସକ୍ତ ହୋଇ ଫରେଷ୍ଟ ଗାର୍ଡ ଜି.ରାମାୟା ବାଡି ଧରି ଧାଁ ଧପଡ ହେଉଥିବା ବେଳେ ପୋଲିସ ଗୁଳିରେ ଟଳି ପଡିଥିଲା I ରକ୍ତ ରଞ୍ଜିତ ହେଲା ମାଥିଲି I  ଜ.ରାମାୟାର ମୃତ୍ଯୁ ପାଇଁ ପୋଲିସ ଦାୟି କଲା ଲକ୍ଷ୍ମଣ ନାୟକ ଏବଂ ବଳରାମ ପୂଜାରୀଙ୍କୁ I ସଂଧ୍ଯା ହେଲା I ଶୂନଶାନ ହେଲା ମାଥିଲି I ତାପରେ ପ୍ରବଳ ବେଗରେ ବର୍ଷା ହେଲା I ନାଳ କଡରେ ସଂଜ୍ଞା ହୀନ ଅବସ୍ଥାରେପଡିଥିବା
ଲକ୍ଷ୍ମଣ ନାୟକଙ୍କ ଚେତା ଫେରିଲା I ସେ ରାତାରାତି ମାଥିଲିରୁ ଜୟପୁର ୩୫ ମାଇଲ ବାଟ ଚାଲି ଚାଲି ଆରଣ୍ଯକୁ ଭେଦ କରି ଗୁରୁତର ଆହାତ ଅବସ୍ଥାରେ ପହଞ୍ଚିଲେ  I
୨୨ ଅଗଷ୍ଟ ୧୯୪୨ I ସକାଳ ହେଲା  I ପୋଲିସ ନାଳ ନିକଟକୁ ଯାଇ ଦେଖଲା ଲକ୍ଷ୍ମଣ ନାୟକଙ୍କ ଶବ ନାହିଁ I ଜଗା ନାଇକଲୁ ଦୋରା ସ୍ଥାନୀୟ ଡାକ୍ତରଙ୍କୁ ପ୍ରଭାବିତ କରି ଲକ୍ଷ୍ମଣ ନାୟକଙିକ ଠେଙ୍ଗା ମାଡରେ ଜି ରାମେୟାର ମୃତ୍ଯୁ ହୋଇଛି ବୋଲି ରିପୋର୍ଟ ପ୍ରସ୍ତୁତ କରାଗଲା I ମାଥିଲି ଥାନାରେ ଲକ୍ଷ୍ମଣ ନାୟକ ନାମରେ କେଶ : ୫୮/୧୯୪୨,୩୦୨,୧୪୮,୧୪୯,୧୨୦-ଖ,୩୨୩,୩୨୫ ଦଫାରେ ନର ହତ୍ଯା,ଥାନା ଆକ୍ରମଣ,ଥାନା ଲୁଣ୍ଠନ,କର୍ତ୍ତବ୍ଯରେ ବାଧା ଆଦି ମାମଲା ରୁଜୁ ହେଲା I ୩୩ ଜଣଙ୍କୁ ଶାକ୍ଷୀ ରଖାଗଲା I ଏହା ଛଡା ୫୩ ଜଣ ସ୍ବାଧୀନତା ସଂଗ୍ରମୀଙ୍କ ନାମରେ ମାଥିଲି ଥାନାରେ କେଶ ରୁଜୁ ହେଲା I
ଲକ୍ଷ୍ମଣ ନାୟକ କିଛି ଦିନ ପରେ ଗାଁକୁ ଫେରିଲେ I ମାଥିଲି ପୋଲିସ ସୂଚନା ପାଇ ସେପ୍ଟେମ୍ବର ୨ ତାରିଖ ୧୯୪୨ ରେ ତେନ୍ତୁଳି ଗୁମ୍ମାରୁ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରି କୋରାପୁଟ ଜେଲକୁ ନିଆ ଗଲା I ଲକ୍ଷ୍ମଣ ନାୟକ ଓ ୫୩ ଜଣ ଅଭିଯୁକ୍ତ ସଂଗ୍ରାମୀଙ୍କ ବିଚାର ତତ୍କାଳିନ ସରକାରୀ ସେନସ୍ସ ଜଜ୍(ବିଚାରପତି) ଭି ରାମ ନାଥନଙ୍କ ମାର୍ଫତରେ ଚାଲିଲା I ଲକ୍ଷ୍ମଣ ନାୟକ ଓ ବଳରାମ ପୂଜାରୀଙ୍କୁ ଫରେଷ୍ଟ ଗାର୍ଡ ରାମେୟାର ମ୍ରୁତ୍ଯୁ ପାଇଁ ଦାୟୀ କରାଗଲା I ୧୩ ନଭେମ୍ବର ୧୯୪୨ ସକାଳ ୧୦ଟା ରେ ରାୟ ପ୍ରକାଶ ପାଇଲା I ଜି ରାମେୟାର ମୃତ୍ଯୁ ପାଇଁ ଲକ୍ଷ୍ମଣ  ନାୟକଙ୍କୁ ଦୋଶୀ ସାବ୍ଯସ୍ତ କରା ଯାଇ ଫଶୀ ଦଣ୍ଡରେ ଦଣ୍ଡିତ କରାଗଲା I ୪୯ ଜଣଙ୍କୁ ଥାନା ଉପଦ୍ରବ ଲାଗି ୯ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ I
ତା:୧୬.୧୧.୧୯୪୨ ରେ କୋରାପୁଟ କାରାଗାରରୁ ବ୍ରହ୍ମପୁର କାରାଗାରକୁ ଲକ୍ଷ୍ମଣ ନାୟକଙ୍କୁ ନିଆଗଲା I ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିବାରୁ ତାଙ୍କୁ ସେଲ ନଂ:୧୪ ରେ ରଖା ଗଲା I ଏହି ସେଲରେ ୧୦୫ ଦିନ ଅତିବାହିତ କରି ମ୍ରୁତ୍ଯୁ ଅପେକ୍ଷାରେ ଲକ୍ଷ୍ମଣ ନାୟକ କାଳ କାଟିଲେ I
ବ୍ରହ୍ମପୁରର ଜଣେ ବଡ ଓକିଲ ରାଧା ଚରଣ ଦାସ ପାଟଣା ହାଇ କୋର୍ଟରେ ଆବେଦନ କଲେ,ଯେ ଲକ୍ଷ୍ମଣ ନାୟକ ନିର୍ଦୋଶ I ପାଟଣା କୋର୍ଟର ମାନ୍ଯବର ବିଚାର ପତି ଏଚ.ଆର.ମେରିଡିଥ୍ ଓ ପାଟର ଏଚ.ଆର.ବ୍ରୋକଙ୍କ ଖଣ୍ଡପୀଠରେ ଏହା ଶୁଣାଣି ହେଲା I ପୀତାମ୍ବର ମାଶ୍ର ଲକ୍ଷ୍ମଣ ନାୟକଙ୍କ ତରଫରୁ ଲଢିଲେ I ମାତ୍ର ତାଙ୍କର ଯୁକ୍ତି ତର୍କ ଇଂରେଜ ବିଚାରପତିଙ୍କୁ ସନ୍ତୁଷ୍ଟ କରି ପାରିନଥିଲା I ତଳ କୋର୍ଟର ରାୟକୁ କାଏମ ରଖି ଲକ୍ଷ୍ମଣ ନାୟକଙ୍କ ଫାଶୀ ଦଣ୍ଡକୁ ଅନୁମୋଦନ କଲେ I ତା:୧୩.୦୧.୧୯୪୩ ପାଟଣା ହାଇକୋର୍ଟ  ଲକ୍ଷ୍ମଣ ନାୟକଙ୍କ ଆବେଦନକୁ ଖାରଜ କଲେ I
ମାର୍ଚ୍ଚ ୨୯ ତାରିଖ ୧୯୪୩ ମସିହା ଭୋର ୫ଟା ବେଳେ ବ୍ରହ୍ମପୁର ଜେଲରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା I ବୀର ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକ ଇଂରେଜ କବଳରୁ ଦେଶ ମାତୃକାକୁ ମକ୍ତି ପାଇଁ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଶହୀଦ ହେଲେ ସତ,କିନ୍ତୁ ସ୍ବରାଜ ଆସିବ ,ଭାରତ ସ୍ବାଧୀନ ହେବ..ଏହି ସ୍ବପ୍ନ ହେଲା ଚିର ଦିନ ସତ୍ଯ I ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ହେଲା ସ୍ବାଧୀନ/ତେଣୁ ଏ ମାଟିର କବି ଗାଏ:-
"ଲକ୍ଷ୍ମଣ ନାୟକ ହେ ଲକ୍ଷ୍ମଣ ନାୟକ......
ଦେଶଲାଗି ଫାଶୀଖୁଣ୍ଟେ ଝୁଲାଇଲ ବେକ....
ରଖିଗଲ ଓଡିଶାର ଟେକ" I

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!