ଜାତୀୟ କୃମି ନାଶକ ଦିବସ ଆସନ୍ତା ୧୦ ତାରିଖରେ ପାଳନ ହେବ।୧ ବର୍ଷରୁ ଅଧିକ ଏବଂ ୧୯ ବର୍ଷରୁ କମ୍ ଶିଶୁ ଓ କିଶୋର କିଶୋରୀମାନଙ୍କୁ ଆଲବେଣ୍ଡାଜଲ ସିରପ ଏବଂ ଟାବଲେଟ ଖାଇବାକୁ ଦିଆଯିବ। ସେଥିପାଇଁ ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୋରାପୁଟ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲିଟିଗୁଡ଼ା ଓ ଡୁମୁରିପଦର କ୍ଲଷ୍ଟରର ପ୍ରତି ସ୍କୁଲରୁ ଜଣେ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡା.ତାପସ ରଂଜନ ବେହେରା ତାଲିମ ପ୍ରଦାନ କରିଥିଲେ।କୃମି କାରଣରୁ ପିଲାଙ୍କୁ ପୁଷ୍ଟିହୀନତା ଓ ରକ୍ତହୀନତା ହୋଇଥାଏ।ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ବାଧା ହୋଇଥାଏ ବୋଲି ଡାକ୍ତର ଟପ୍ନୋ ଓ ଡାକ୍ତର ବେହେରା ପ୍ରକାଶ କରିଥିଲେ। ବିପିଏମ ନୂତନ ସିଂ,ଭାରପ୍ରାପ୍ତ ପିଏଚଇଓ ମକର ଜାନି ଓ ସ୍ୱାସ୍ଥ୍ୟ କର୍ମୀ ସୁଶାନ୍ତ କୁମାର ଭଞ୍ଜ ଉପସ୍ଥିତ ରହି ଜାତୀୟ କୃମି ନାଶକ ଦିବସ ପାଇଁ ହୋଇଥିବା ବ୍ୟବସ୍ଥା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଆଦି ବିଷୟରେ ସୂଚିତ କରିଥିଲେ।ଆଗାମୀ ୧୦ ତାରିଖ ଗୁରୁବାର ଦିନ ୧ ରୁ ୫ ବର୍ଷର ଶିଶୁ ମାନଙ୍କୁ ସିରପ ଏବଂ ୫ ବର୍ଷରୁ ୧୯ ବର୍ଷ ପିଲାମାନଙ୍କୁ ଟାବଲେଟ ଦିଆଯିବ।କୋରାପୁଟ ବ୍ଲକର ୧୮୬ଅଙ୍ଗନବାଡି କେନ୍ଦ୍ର ଏବଂ ୧୪୨ଟି ସରକାରୀ ସ୍କୁଲ ଓ ୫ଟି ଘରୋଇ ସ୍କୁଲରେ ଏହି କାର୍ଯ୍ୟକ୍ରମ କରାଯିବ।ସ୍କୁଲ ଯାଉ ନ ଥିବା ପିଲାଙ୍କୁ ମଧ୍ୟ ଔଷଧ ଦିଆଯିବ। ଅଙ୍ଗନୱାଡିରେ ଅଙ୍ଗନୱାଡି କର୍ମୀ ଏବଂ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାମ୍ନାରେ ପିଲାମାନେ ଔଷଧ ଖାଇବେ।ଏବଂ କୌଣସି ପିଲାଙ୍କୁ ଘରକୁ ନେଇ ଖାଇବା ପାଇଁ ଅନୁମତି ଦିଆଯିବ ନାହିଁ।ଏହି ଯୋଜନା ମାଧ୍ୟମରେ କୋରାପୁଟ ବ୍ଳକର ୩୪ହଜାରରୁ ଉର୍ଦ୍ଧ୍ବ ପିଲାଙ୍କୁ କୃମି ନାଶକ ଔଷଧ ସେବନ ପାଇଁ ଦିଆଯିବ।୧୦ ତାରିଖରେ କୌଣସି କାରଣରୁ ବିଦ୍ୟାଳୟ ଆସିପାରି ନଥିବା ପିଲାଙ୍କୁ ୧୭ତାରିଖରେ ଏହି ଔଷଧ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।ବ୍ଳକର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।ସେହିପରି ଅଙ୍ଗନବାଡି କର୍ମୀ,ଆଶା କର୍ମୀଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ତରରେ ତାଲିମ ପ୍ରଦାନ କରାଯାଇଥିଲା।