ମଣିପୁର ରାଜ୍ୟରେ ଉପୁଜିଥିବା ହିଂସା କୁ ଦୂର କରିବା ଏବଂ ସେଠାରେ ସ୍ୱାଭାବିକ ତଥା ଶାନ୍ତି ଏବଂ ସମନ୍ୱୟ ପରିବେଶ ସୃଷ୍ଟି କରିବା ବାର୍ତ୍ତା ନେଇ ସୀମାନ୍ତ ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିୟାନ ମଞ୍ଜ ଓ ଆଦିବାସୀ ଓ କୋୟା ମିଳିତ ସମାଜ ପକ୍ଷରୁ କାଲିମେଳା ଠାରେ ଶନିବାର ଏକ ବିରାଟ ରାଲି ଅନୁଷ୍ଠିତ ହୋଇଯାଇଛି l ଦିନ 11 ଟା ସମୟରେ କାଲିମେଳା ହାଟପଦା ନିକଟରେ କାଲିମେଳା ବ୍ଲକ ର ବିଭିନ୍ନ ଗ୍ରାମରୁ ତଥା ଜିଲ୍ଲା ବିଭିନ୍ନ ପ୍ରାନ୍ତରୁ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ଏବଂ ଆଦିବାସୀ କୋୟା ସମ୍ପ୍ରଦାୟର ମହିଳା ପୁରୁଷ ତଥା କିଛି ନେତୃମଣ୍ଡଳୀ ମାନେ ଏକତ୍ରିତ ହୋଇ ମଣିପୁର ରାଜ୍ୟରେ ଘଟିଥିବା ହିଂସା କୁ ବିରୋଧ କରିଥିଲେ l ନାରୀର ରକ୍ଷା ଭାରତ ମାତାର ସୁରକ୍ଷା ବାର୍ତ୍ତା ନେଇ ଏହି ରାଲି ବାହାରିଥିଲା l ମଣିପୁରରେ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ଦାବି କରାଯିବା ସହ ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାର କରିଥିବା ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି l l ମଞ୍ଚ ପକ୍ଷରୁ କୁହାଯାଇଛି ଯେ ମଣିପୁରରେ ଦୁଇ କୁକି ଆଦିବାସୀ ମହିଳାଙ୍କୁ ସମ୍ପୂର୍ଣ୍ଣ ନିବସ୍ତ୍ର କରି ସହସ୍ର ପୁରୁଷଙ୍କ ଗହଣରେ ପ୍ୟାରେଡ୍ ଓ ଗଣଦୁଷ୍କର୍ମ କରାଯିବା ସାରା ବିଶ୍ବକୁ ସ୍ତବ୍ଧ କରିଛି। ଯେଉଁଠି ନାରୀକୁ ଦେବୀ ରୂପେ ପୂଜା କରାଯାଏ, ସେଠି ମହିଳାଙ୍କ ଉପରେ ଏପରି ବର୍ବର ନିର୍ଯାତନା ଦୁର୍ଭାଗ୍ଯଜନକ ହୋଇଛି । ହେଲେ ମାନବିକତା ଓ ମହିଳା ସମ୍ମାନକୁ ଅତି ବର୍ବର ଭାବେ ଦଳିମକଚି ଦେଇଥିବା ଏହି ଘଟଣା ଏକ ଜାତୀୟ ଲଜ୍ଜା ହୋଇଥିଲେ ମଧ୍ୟ ମଣିପୁର ଓ କେନ୍ଦ୍ର ସରକାର ନିରବ ରହିଛନ୍ତି l ତେଣୁ ସରକାର ଏଥିରେ ହସ୍ତକ୍ଷେପ କରି ମଣିପୁର ରେ ଶାନ୍ତି ଫେରାଇ ଆଣିବାକୁ ସେମାନେ ଦାବି କରିଛନ୍ତି l ହାଟପଦା ଠାରୁ ଶୋଭାଯାତ୍ରା ବାହାରି କାଲିମେଳା ବଜାର ପରିକ୍ରମା କରି ତହସିଲ ନିକଟରେ ପହଞ୍ଚି ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ତହସିଲଦାର ଚାଇନୁ ଗଣ୍ଡଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା l ଏହି ଶୋଭାଯାତ୍ରା ରେ 2 ହାଜର ରୁ ଉର୍ଦ୍ଧ ଲୋକ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା l ଏଥିରେ ଜିଲ୍ଲା ଖ୍ରୀଷ୍ଟିୟାନ ମଞ୍ଜ ସଭାପତି ଅନ୍ତାଲି ରିଗାନ, ସମ୍ପାଦକ କୋରା ସନ୍ତୋଷ ଫାଦର କେ ଏଲ ଜୟ, ଙ୍କ ସମେତ ମାଲା ମାଢ଼ି, ଏବଂ ଖ୍ରୀଷ୍ଟିୟାନ ସମାଜର ନେତୃବୃନ୍ଦ ମାନେ ଉପସ୍ଥିତ ରହିଥିଲେ l