ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଣି ଦେଖାଦେଇଛି ଜନନୀ ଯନ୍ତ୍ରଣା। ଗ୍ରାମକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟର ପାଣି କାଦୁଅ ରାସ୍ତାରେ ଭାରରେ ବୋହି ହସ୍ପିଟାଲକୁ ନିଆଗଲା। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗଡ଼ା ପଞ୍ଚାୟତ ଅନ୍ତର୍ଗତ କଦମଝୋଲା ଗାଁରେ। ସେହି ଗାଁର ବାବୁଲା ପାଙ୍ଗି , ତାଙ୍କ ପତ୍ନୀ ସୁମିତ୍ରା ପାଙ୍ଗିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ କୁ ଫୋନ କରି ଜଣାଇଥିଲେ ପରିବାର ଲୋକେ । କିନ୍ତୁ ବର୍ଷା ଯୋଗୁଁ ଗାଁ ନାଳରେ ପାଣି ବଢି ରାସ୍ତା ଖାଇଯିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା। ପାଖାପାଖି ୫ କିଲୋମିଟର ନଈ ନାଳ , କାଦୁଅ ରାସ୍ତା ପାର ହୋଇ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ଗେଜେଡ ଗ୍ରାମଠାରେ ପହଞ୍ଚାଇଥିଲେ। ସେଠରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ରେ ଗର୍ଭବତୀ ମହିଳାଙ୍କୁ ଜାନବାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମହିଳା ଜଣଙ୍କ ଜାନବାଇ ମେଡିକାଲରେ ଭର୍ତ୍ତି ହେବା ପରେ ସେଠାରେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଛି । ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।