ନବରଙ୍ଗପୁର ଜିଲ୍ଲା: "ଚାଷ କାମ ଯାହାର, କି ଆନନ୍ଦ ତାହାର, ସିଏ ପରା ଯୋଗାଉଛି ଦୁନିଆକୁ ଆହାର" । ଦିନେ ଏହି କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା । ଦିନ ଥିଲା ଗ୍ରାମାଞ୍ଚଳର ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ଆଗଭର ହେଉଥିଲେ । ବିଭିନ୍ନ କାରଣରୁ ଧୀରେ ଧୀରେ ଏବେ ଚାଷ କାମ ବନ୍ଦ ହେବାକୁ ବସିଛି । ପୂର୍ବରୁ ଚାଷ ହେଉଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ ଚାଷ କରି ଅଧିକ ଉପାର୍ଜନ ପାଇଁ ଉଦ୍ୟମ ଆରମ୍ଭ କରାଯାଉଛି ।
ନବରଙ୍ଗପୁର ଅଞ୍ଚଳରେ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଚାଷୀ ମୁଖ୍ୟତଃ ଖରିଫ୍ ଓ ରବି ଋତୁରେ ଧାନଚାଷ କରିଥାନ୍ତି । ଏବେ ଚାଷ କାମ ବାଟବଣା ହୋଇଥିବାବେଳେ ଚାଷର ଉପାୟ ମଧ୍ୟ ବଦଳିବାରେ ଲାଗିଛି । ହଳରେ ଏବେ ଆଉ ପ୍ରାୟ କେହି ଚାଷ କରୁନଥିବା ବେଳେ ପୂର୍ବଭଳି ରୁଆବୁଣା ବେଳେ ଚାଷୀ ମୁଖରୁ ହୁଳହୁଳି, ହଳିଆଗୀତ ଆଉ ଶୁଣିବାକୁ ମିଳୁନାହିଁ । ପୂର୍ବରୁ ଚାଷୀ ଚାଷ ପାଇଁ ଜମିରେ ହଳ, ଲଙ୍ଗଳ ବ୍ୟବହାର କରୁଥିଲେ । ଏବେ କିନ୍ତୁ ଚାଷ ପାଇଁ ଟ୍ରାକ୍ଟର, ପାୱାର ଟ୍ରିଲର ବ୍ୟବହାର ହେଉଛି । ମାସ ମାସ ଧରି ଚାଲୁଥିବା ଚାଷ କାମ ଏବେ କମ୍ ଦିନରେ ବି ଶେଷ ହେଉଛି । ପ୍ରତିଗାଁରେ ପୂର୍ବେ ଘରେ ଘରେ ଚାଷଜମି ପାଇଁ ବଳଦ ଓ ପୋଢ ପାଳନ କରାଯାଉଥିଲା । ଏପରିକି କିଛି ଧନୀକ ଶ୍ରେଣୀର ଚାଷୀ ଗାଇ ବଳଦଙ୍କ ପାଇଁ ହଳିଆ ମଧ୍ୟ ରଖୁଥିଲେ । ଘର ଆଗରେ ଗୁହାଳ ଦେଖିବାକୁ ମିଳୁଥିଲା । ହଳ ପାଇଁ ଚାଷୀ କୁସୁମ, ପାଶୀ, ବବୁଲ, ଗୁହାରିଆ ପ୍ରଭୃତି କାଠର ଲଙ୍ଗଳ, ଢାମଣ, ଇଷ ତଥା ଅନ୍ୟାନ୍ୟ ଉପକରଣ ରଖୁଥିଲେ । ପ୍ରତିବର୍ଷ ଚାଷୀମାନେ ବଳଦ କିଣା-ବିକା କରିବା ସହ ଅନ୍ୟ ଗ୍ରାମକୁ ଯାଇ ବଳଦ କିଣି ଆଣୁଥିଲେ ।
ଅକ୍ଷତୃତୀୟା ଦିନ ପୂଜାର୍ଚ୍ଚନା କରି ରୁଆ କାର୍ଯ୍ୟ ଆରମ୍ଭ କରୁଥିଲେ ନବରଙ୍ଗପୁର ଅଞ୍ଚଳର ଚାଷୀ । ହଳ ଧରି ବିଭିନ୍ନ ଢଙ୍ଗରେ ମଧୁର କଣ୍ଠରେ ଗୀତ ଗାଇ ହଳ କରୁଥିବା ଦେଖାଯାଉଥିଲା । ମହିଳାମାନେ ହୁଳହୁଳି ସହ ମିଳିତ ଭାବେ ଗୀତ ଗାଉଥିଲେ । ଦୂରରୁ ଗୀତ ଶୁଭିଲେ ଚାଷ କାମ ଚାଲିଥିବାର ସଙ୍କେତ ମିଳିପାରୁଥିଲା । ଗୋଟିଏ ଜମିରେ ମହିଳା ଗୀତଗାଇବା ଆରମ୍ଭ କଲେ ଅନ୍ୟ ଜମିର ମହିଳା ତାହା ଅନୁସରଣ କରୁଥିଲେ ।
ବିଭିନ୍ନ କାରଣରୁ ଏବେ ହଳ ରଖିବା ବନ୍ଦ ହୋଇଯାଉଥିବା ବେଳେ ଗ୍ରାମାଞ୍ଚଳରେ ପଶୁ ସମ୍ପଦ ବିଶେଷ ଭାବେ ହ୍ରାସ ପାଇଛି । ଚାଷ ଜମିରେ ଘର ନିର୍ମାଣ ସହ ବର୍ଷ ବର୍ଷ ଧରି ଜମି ପଡ଼ିଆ ରଖାଯାଉଛି । ଉର୍ବର ଜମି ମଧ୍ୟ ଏଥିରୁ ବାଦ୍ ପଡ଼ୁନି । ପୂର୍ବରୁ ଶ୍ରମିକଙ୍କୁ ବର୍ଷିକିଆ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯାଇ ଧାନ, ମାଣ୍ଡିଆ, ସୁଆଁ ପ୍ରଭୃତି ମୂଲ ଭାବେ ଦିଆ ଯାଉଥିଲା । ଶସ୍ୟ ମାପିବା ପାଇଁ ନଉତି, ଅଣା ଆଦି ବ୍ୟବହାର କରାଯାଉଥିବା ବେଳେ ଏବେ ସବୁ ଟଙ୍କାରେ ହେଉଛି । ଟ୍ରାକ୍ଟରରେ ଚାଷ କାର୍ଯ୍ୟ କରାଯାଉଛି । ବହୁ ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ଆଗଭଳି ମନ ବଳାଉନାହାନ୍ତି । ଚାଷ କାର୍ଯ୍ୟ ଅପେକ୍ଷା ସେମାନେ ଦାଦନ ଖଟିବା ପାଇଁ ସୁଦୂର ମୁମ୍ବାଇ, ସୁରଥ, ଅଙ୍ଗୋଲ, ହାଇଦ୍ରାବାଦ ଯିବା ପାଇଁ ମନ ବଳାଉଛନ୍ତି। ସମୟକ୍ରମେ ଚାଷ କାର୍ଯ୍ୟରେ ଅନେକ ପରିବର୍ତ୍ତନ ଘଟିଛି । ଚାଷ ଜମି ଶୈଳୀ ପରିବର୍ତ୍ତନ ଯୋଗୁଁ ହଳ, ହୁଳହୁଳି, ହଳିଆ ଗୀତ ଏବେ ପ୍ରାୟ ଲୋପ ପାଇବାକୁ ବସିଲାଣି ।ଚାଷ କାମ ସରିବା ପରେ ଗୋ ମାତାଙ୍କ ପର୍ବ ଦିଅଲି ମଧ୍ୟ ଧୁମଧାମରେ ପାଳନ ହେଉଥିଲା କିନ୍ତୁ ଏବେ ଏସବୁ ଧୀରେଧୀରେ ଲୋପ ପାଇବାକୁ ବସିଲାଣି ।ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପରେ ଚାଷ କାମର ଢାଞ୍ଚା ବଦଳି ଗଲାଣି ,ପାରମ୍ପରିକ ହାଲଲଙ୍ଗଲ ଆଉ ଦୁଶୁନି। ଏଭଳି ଲାଗୁଛି ସତେ ଯେଭଳି ଯୁଗ ବଦଳି ଗଲାଣି ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର