Tuesday, August 23, 2022
Homeଧରାକୋଟ ରେ ଖୋଲିବ ଡିଗ୍ରୀ କଲେଜ, କୃତଜ୍ଞତା ଜଣାଇଲେ ପୂର୍ବତନ ବିଧାୟିକା

ଧରାକୋଟ ରେ ଖୋଲିବ ଡିଗ୍ରୀ କଲେଜ, କୃତଜ୍ଞତା ଜଣାଇଲେ ପୂର୍ବତନ ବିଧାୟିକା

ଗଞ୍ଜାମ ଜିଲ୍ଲାର ଧରାକୋଟ ଠାରେ ରାଜ୍ୟ ସରକାରଙ୍କ ତରଫରୁ ରୟାଲ ଡିଗ୍ରୀ କଲେଜ ଖୋଲିବା ପାଇଁ ସ୍ବୀକୃତି ପ୍ରଦାନ କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗର ଚିଠି ନମ୍ବର 32402/2.8.23 ପ୍ରକାରେ ଏଠାରେ ଡିଗ୍ରୀ କଲେଜ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ସଂପ୍ରତି ଧରାକୋଟ ରେ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମୁଣ୍ଡମରାଇ ରେ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଛନ୍ତି । ଉଚ୍ଚ ଶିକ୍ଷା ପାଇଁ ଏଠାରେ ଭିତ୍ତି ଭୂମି ରହିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଙ୍କ ନିଷ୍ଠାପର ଉଦ୍ୟମ କ୍ରମେ ରୟାଲ ଡିଗ୍ରୀ କଲେଜ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଏଥିପାଇଁ ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ,ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ପ୍ରମୁଖ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଚଳିତ 2023/24 ଶିକ୍ଷା ବର୍ଷରେ ଯୁକ୍ତ ତିନି କଳା ପାଠ୍ୟକ୍ରମରେ 128 ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ ର ସୁଯୋଗ ପାଇବେ । ଓଡ଼ିଆ,ରାଜନୀତି ବିଜ୍ଞାନ, ଶିକ୍ଷା ଏବଂ ଅର୍ଥଶାସ୍ତ୍ର ର ସାଧାରଣ ପାଠ୍ୟ ସହ ସମ୍ମାନ ପାଠ୍ୟ ବିଷୟରେ ଏଠାରେ ଶିକ୍ଷାଦାନ ଦିଆଯିବ । କଲେଜ ରେ ନାମ ଲେଖାଇବା ପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ଜଣା ଯାଇଥିବା ବେଳେ ଧରାକୋଟ ପଞ୍ଚାୟତ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ଶିକ୍ଷାଦାନ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ସରକାର ଅନୁମତି ପ୍ରଦାନ କରିଥିବା ଯୋଗୁଁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!